ଅଣସର ଘରେ ମହୌଷଧି

ଶ୍ରୀମନ୍ଦିର ଅଣସରଘରେ ଥିବା ଅସୁସ୍ଥ ମହାପ୍ରଭୁଙ୍କୁ ରାଜବେଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ମହୌଷଧି ଦିଆଯିବା ପରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ଆରୋଗ୍ୟଲାଭ କରନ୍ତି । ଗୁପ୍ତସେବା ପରମ୍ପରା ଅନୁଯାୟୀ ବେଲ, ଗମ୍ଭାରୀ, ଫଣଫେଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଲବିଙ୍ଗକୋଳି, ଅକ୍ରାନ୍ତି ଓ ପାଟେଳି ଆଦି ୧୦ପ୍ରକାର ଚେରମୂଳିରେ ମହୌଷଧି ପ୍ରସ୍ତୁତି କରାଯାଏ । ମହାପ୍ରଭୁ ଉଦ୍ଦେଶ୍ୟରେ ସ୍ୱତନ୍ତ୍ରଭାବେ ତିଆରି ହୋଇଥିବାରୁ ଏହାକୁ ମହୌଷଧି ବୋଲି କୁହାଯାଏ । ଏହାଛଡା ତିନିଠାକୁରଙ୍କ ଶ୍ରୀଅଙ୍ଗରେ ଚେହେଲି ଲାଗି କରାଯାଏ ।
ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ଅଣସରଘରେ ପ୍ରବେଶ କରନ୍ତି । ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥିବା ସୂକ୍ଷ୍ମ ପାଟବସ୍ତ୍ରକୁ ଶ୍ରୀଜୀଉମାନଙ୍କ ଶରୀରରେ ଲାଗି କରାଯିବ । ସନ୍ଧ୍ୟାଧୂପ ପରେ ସେବକମାନେ ପୁଣିଥରେ ବେହରଣ ଦ୍ୱାରଦେଇ ଅଣସର ଘରେ ପ୍ରବେଶ କରନ୍ତି । ସେଠାରେ ତିନିଠାକୁରଙ୍କ ସର୍ବାଙ୍ଗ ଚନ୍ଦନଲାଗି କରାଯାଏ । ଠାକୁରମାନେ ଏପର୍ଯ୍ୟନ୍ତ ଅଣସର ଘରେ କେବଳ ଧଳାବସ୍ତ୍ର ଓ ଧଳାଫୁଲ ପିନ୍ଧୁଥିବା ବେଳେ ଏହିଦିନଠାରୁ ତୁଳସୀ ସମେତ ଅନ୍ୟରଙ୍ଗର ବସ୍ତ୍ର ଓ ଫୁଲ ଲାଗିହୁଏ । ଏହିଦିନ ଖଳିଲାଗି ଏକାଦଶୀ ଅବସରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଖଳି ଲାଗି କରାଯାଏ । ସେହିପରି ବଡସିଂହାର ବେଶପରି ମହାପ୍ରଭୁ ପଦକ, ଗୁଣା, ଗଭା, ତିଲକ ଓ ଅଣ୍ଟାପେଟି ଧାରଣ କରନ୍ତି । ଚନ୍ଦନ, କର୍ପୁର, କେଶର ସହ ଚୂଆ ମିଶ୍ରଣ କରାଯାଇ ତିନିଠାକୁରଙ୍କ ଶ୍ରୀଅଙ୍ଗରେ ଲେପଦିଆଯିବାର ପରମ୍ପରା ମଧ୍ୟ ଅଛି । ରାତିରେ ଶ୍ରୀଜୀଉଙ୍କ ନିକଟରେ ଫଳ, ପାପୁଡି , କ୍ଷୀର ଆଦି ଭୋଗ କରାଯାଏ । ଠାକୁରମାନେ ଅସୁସ୍ଥହୋଇ ଅଣସର ଘରେ ରହିଥିବା ଯୋଗୁ ତାଙ୍କର ପ୍ରିୟ ଭକ୍ତମାନେ ତାଙ୍କୁ ଦର୍ଶନ କରିନପାରି ବ୍ୟଥିତ ହୋଇପଡିଥାନ୍ତି । ତ୍ରୟୋଦଶୀରେ ଘଣାଲାଗି ହେବାପରେ ଅମାବାସ୍ୟା ନେତ୍ରୋତ୍ସବ ଦିନ ଶ୍ରୀଜୀଉମାନେ ରତ୍ନସିଂହାସନ ଉପରେ ସେମାନଙ୍କ ପ୍ରିୟ ଭକ୍ତମାନଙ୍କୁ ନବଯୌବନ ରୂପରେ ଦର୍ଶନ ଦିଅନ୍ତି । ଏହିଦିନକୁ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତ ପ୍ରବଳ ଉକ୍ରଣ୍ଠାର ସହ ଅପେକ୍ଷାକରି ଥାଆନ୍ତି ।